କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ‘ପଖାଳ ଦିବସ’ ପାଳିତ: ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ହେଲା ବନ୍ଦନା


କୋରାପୁଟ, ୨୦/୦୩ (ନିଜସ୍ୱ ପ୍ରତିନିଧି):
ଓଡ଼ିଆ ଜାତିର ପରମ୍ପରା ଓ ସାଂସ୍କୃତିକ ପରିଚୟର ପ୍ରତୀକ ‘ପଖାଳ’କୁ ସମ୍ମାନ ଜଣାଇ ଆଜି କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପଖାଳ ପରବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସୀ (Virtual) ମାଧ୍ୟମରେ ଯୋଡ଼ି ହୋଇ ପଖାଳର ଗୁଣାବଳୀ ଓ ଓଡ଼ିଆ ଜୀବନଶୈଳୀ ସହ ଏହାର ନିବିଡ଼ତା ସମ୍ପର୍କରେ ବଖାଣିଥିଲେ।
ପଖାଳ ଆମ ଗୌରବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ପଖାଳ ଦିବସ କେବଳ ଏକ ଖାଦ୍ୟକୁ ଉପସ୍ଥାପନ କରିବାର ଦିନ ନୁହେଁ, ବରଂ ଓଡ଼ିଆ ଜାତିର ସରଳତା ଓ ପ୍ରକୃତି ସହ ଜଡ଼ିତ ଜୀବନ ଶୈଳୀକୁ ସମ୍ମାନ ଦେବାର ଏକ ମହତ୍ୱପୂର୍ଣ୍ଣ ଅବସର। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଗୌରବମୟ ଦିବସ ପାଳନ କରାଯାଇ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଯାଉଛି।
ଅତିଥି ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନବ୍ରତା ଶତପଥୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶେଷ କରି ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ଏବଂ ‘ମାଣ୍ଡିଆ ରାଣୀ’ ଭାବେ ପରିଚିତ ରାଇମତି ଗେହୁଁରିଆ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ସହ ପଖାଳର ଆନନ୍ଦ ନେଇଥିଲେ।


