ଦୀପ ତଳ ଅନ୍ଧାର: ମିନାକ୍ଷୀ ବିଦ୍ୟୁତ୍ ପ୍ରକଳ୍ପ ଗେଟ୍ ସମ୍ମୁଖରେ ୮ ଖଣ୍ଡ ଗ୍ରାମବାସୀଙ୍କ ଗର୍ଜନ

ଦୀପ ତଳ ଅନ୍ଧାର: ମିନାକ୍ଷୀ ବିଦ୍ୟୁତ୍ ପ୍ରକଳ୍ପ ଗେଟ୍ ସମ୍ମୁଖରେ ୮ ଖଣ୍ଡ ଗ୍ରାମବାସୀଙ୍କ ଗର୍ଜନ
କୋରାପୁଟ ,୧୬/୦୨, (ବ୍ୟୁରୋ ରିପୋର୍ଟ) :  କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଅଞ୍ଚଳରେ ଦେଖିବାକୁ ମିଳିଛି ‘ଦୀପ ତଳ ଅନ୍ଧାର’ର କରୁଣ ଚିତ୍ର। ଯେଉଁଠାରେ ନଦୀ ପାଣିରୁ କୋଟି କୋଟି ଟଙ୍କାର ବିଦ୍ୟୁତ୍ ଉତ୍ପାଦନ ହେଉଛି, ସେହି ଅଞ୍ଚଳର ଲୋକେ ଆଜି ବି ଅନ୍ଧାରରେ। କମ୍ପାନୀର ଚୁକ୍ତି ଖିଲାପ ବିରୋଧରେ ଏବେ ସ୍ୱର ଉତ୍ତୋଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୋମବାର ତେନ୍ତୁଳିଗୁମ୍ମା ମିନାକ୍ଷୀ ବିଦ୍ୟୁତ୍ ଜଳ ପ୍ରକଳ୍ପ ଗେଟ୍ ସମ୍ମୁଖରେ ଆଠ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ ଧାରଣାରେ ବସି ରହିଥିଲେ।
କମ୍ପାନୀ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ
ଅଭିଯୋଗ ଅନୁସାରେ, ଆନ୍ଧ୍ରପ୍ରଦେଶର ଏହି ଘରୋଇ ସଂସ୍ଥା ପ୍ରକଳ୍ପ ସମୟରେ ଗ୍ରାମବାସୀଙ୍କ ସହ କରିଥିବା ଚୁକ୍ତିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ତେନ୍ତୁଳିଗୁମ୍ମା ପଞ୍ଚାୟତର ମଧୁପୁର, ଅଁଳାଗୁଡା, ମାଙ୍କଡ଼ଗୁଡା, ଭେଜିନିଗୁଡା, ମାଛଗୁଡା, ମାଟିଗୁଡା, କଣ୍ଟାବାଉଁସିଆ ଗୁଡା ଭଳି ଆଠଟି ଗାଁର ଲୋକେ ଏବେ ବି ମୌଳିକ ବିଦ୍ୟୁତ୍ ସେବାରୁ ବଞ୍ଚିତ। କମ୍ପାନୀ ସ୍ଥାନୀୟ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ମୁନାଫା କମାଉଥିବା ବେଳେ ଗ୍ରାମବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।
ପ୍ଲାକାର୍ଡ ଧରି ବିକ୍ଷୋଭ, ଶୋଭାଯାତ୍ରା
ଆଜି ସକାଳେ ଗ୍ରାମବାସୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି କମ୍ପାନୀ ବିରୋଧୀ ସ୍ଲୋଗାନ ଦେଇଥିଲେ। “ଆମ ନଦୀ ଆମ ପାଣି, ଆମେ କାହିଁକି ଅନ୍ଧାରରେ ରହିବୁ?” ବୋଲି ପ୍ରଶ୍ନ କରି ଗ୍ରାମବାସୀମାନେ ପ୍ରକଳ୍ପର ମୁଖ୍ୟ ଫାଟକକୁ ଅବରୋଧ କରିଥିଲେ। ଧାରଣା ଯୋଗୁଁ କିଛି ସମୟ ପାଇଁ ପ୍ରକଳ୍ପ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଉଚ୍ଚସ୍ତରୀୟ ତଦନ୍ତ ଦାବି
ପ୍ରକଳ୍ପ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଖୁବଶୀଘ୍ର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, କମ୍ପାନୀ କେବଳ ମୌଳିକ ସୁବିଧା ନୁହେଁ ବରଂ ସରକାରଙ୍କ ସହ ହୋଇଥିବା ମୂଳ ଚୁକ୍ତି ଅନୁଯାୟୀ ପ୍ରକଳ୍ପ ନିର୍ମାଣ କରିନାହିଁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *