
କୋଡିଙ୍ଗା ମାଳି ଖଣି ସମର୍ଥନରେ ଜନସମୁଦ୍ର: ଲକ୍ଷ୍ମୀପୁରରେ ୧୦ ହଜାରୁ ଅଧିକ ଲୋକଙ୍କ ବିଶାଳ ପଦଯାତ୍ରା
ଲକ୍ଷ୍ମୀପୁର, ୮/୫ (କ୍ରାନ୍ତି ଇଣ୍ଡିଆ ନ୍ୟୁଜ): କୋଡିଙ୍ଗା ମାଳି ଖଣିରୁ ବାର୍ଷିକ ୬ ମିଲିୟନ ଟନ୍ ଖଣି ଖନନକୁ ସମର୍ଥନ ଜଣାଇ ଆଜି ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ତିନୋଟି ପ୍ରମୁଖ ବ୍ଲକ ଯଥା ଲକ୍ଷ୍ମୀପୁର, ଦଶମନ୍ତପୁର ଏବଂ କାଶୀପୁରର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଏକଜୁଟ ହୋଇ ଓଏମସି (OMC) କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରିଛନ୍ତି।
ବିକାଶ ପାଇଁ ସ୍ୱର:
ସ୍ଥାନୀୟ ମିନି ଷ୍ଟାଡିୟମରୁ ବାହାରିଥିବା ଏହି ପଦଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷ ହାତରେ ପ୍ଲାକାର୍ଡ ଧରି ୬ ମିଲିୟନ ଖଣି ଖନନ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଗାଡ଼ି ମାଲିକ ସଂଘ ସମେତ ଖଣି ଖନନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ଏଥିରେ ସାମିଲ ହୋଇଥିଲେ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଆର୍ଥିକ ମେରୁଦଣ୍ଡ ସଦୃଢ଼ ହେବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।
ଓଏମସିର ସାମାଜିକ ଦାୟିତ୍ୱବୋଧ:
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଓଏମସି ପକ୍ଷରୁ ଏଠାରେ ସ୍କୁଲ ନିର୍ମାଣ, ମାତୃ ଓ ଶିଶୁଙ୍କ ପାଇଁ ଦୁଇ ମହଲା ବିଶିଷ୍ଟ କୋଠା ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଭଳି ଅନେକ ଜନହିତକର କାର୍ଯ୍ୟ କରାଯାଇଛି। ଖଣିର କ୍ଷମତା ୬ ମିଲିୟନକୁ ବୃଦ୍ଧି ପାଇଲେ ନିଯୁକ୍ତି ସୁଯୋଗ ଦ୍ୱିଗୁଣିତ ହେବା ସହ ବେକାରୀ ସମସ୍ୟା ଦୂର ହେବ ଏବଂ ଅଞ୍ଚଳର ବ୍ୟାପକ ବିକାଶ ହେବ।
ପ୍ରଶାସନିକ ପ୍ରତିକ୍ରିୟା:
ପଦଯାତ୍ରା ଶେଷରେ ଓଏମସି କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଓଏମସିର ଡେପୁଟି ମ୍ୟାନେଜର ସୁରେଶ ସେଠୀ ଓ ସ୍ଥାନୀୟ ତହସିଲଦାର ଏହି ଦାବିପତ୍ର ଗ୍ରହଣ କରିଥିଲେ। ଲୋକଙ୍କ ମତାମତ ଏବଂ ସମର୍ଥନକୁ ଭିତ୍ତି କରି ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶୃତି ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି।
ଏହି ସମର୍ଥନ ପଦଯାତ୍ରା ସରକାରଙ୍କ ରାଜସ୍ୱ ବୃଦ୍ଧି ସହ ସାମୂହିକ ସାମାଜିକ ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
(ରିପୋର୍ଟ: ଯୁଧିଷ୍ଠିର ବାଗ, କୋରାପୁଟ)
