କୋରାପୁଟ : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ କୋରାପୁଟ ଜିଲ୍ଲାରୁ ଯାତ୍ରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବସର ଯାତ୍ରା ଆରମ୍ଭ ହୋଇଯାଇଛି। ଶନିବାର ସକାଳେ କୋରାପୁଟ ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ତୀର୍ଥ ଯାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସୁରକ୍ଷିତ ଓ ସୁଖଦ ଯାତ୍ରା କାମନା କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକାରୁ ମୋଟ ୧୬୮ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସମସ୍ତ ଯାତ୍ରୀ ପ୍ରଥମେ ବସ ଯୋଗେ କୋରାପୁଟରୁ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି।
ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯାତ୍ରା:
ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଯାତ୍ରୀମାନଙ୍କୁ ଜରୁରୀକାଳୀନ ଔଷଧ ମଧ୍ୟ ପ୍ରଦାନ କରାଯାଇଛି।
ଯାତ୍ରା ସୂଚୀ:
ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଶନିବାର ପୂର୍ବାହ୍ନରେ ସମସ୍ତ ଯାତ୍ରୀ ରାୟଗଡ଼ା ଷ୍ଟେସନରେ ପହଞ୍ଚି ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଏବଂ ପରେ ବାରାଣାସୀ ଅଭିମୁଖେ ଗସ୍ତ କରିବେ। ଏହି ସମ୍ପୂର୍ଣ୍ଣ ତୀର୍ଥ ଯାତ୍ରା ୬ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଆସନ୍ତା ୨୨ ତାରିଖରେ ସମସ୍ତ ଯାତ୍ରୀ କୋରାପୁଟକୁ ପ୍ରତ୍ୟାବର୍ତ୍ତନ କରିବେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଟାଲିନା ପ୍ରଧାନୀ ସୁଚାରୁରୂପେ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକମାନେ ଏହି ସୁଯୋଗ ପାଇଥିବାରୁ ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।
