
କୋରାପୁଟ: ୩/୧୨: ଜିଲ୍ଲା ପ୍ରଶାସନ କୋରାପୁଟ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ) ତରଫରୁ ଅଦ୍ୟ ତା. ୦୩.୧୨.୨୦୨୫ ରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୫ କୋରାପୁଟ ସ୍ଥିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଭିନ୍ନକ୍ଷମଙ୍କ ସମାଜରେ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପଦଯାତ୍ରା ଓ କାର୍ଯ୍ୟକ୍ରମ ଆରମ୍ଭ
ଦିବସ ପାଳନ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ପଦଯାତ୍ରା ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।
ମୁଖ୍ୟ ଅତିଥି ଓ ସମ୍ମାନିତ ବ୍ୟକ୍ତିବିଶେଷ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା ଯୋଗଦାନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀ ଲଲାଟ ରଞ୍ଜନ ସେଠୀ (ପୌର ପାଳିକା ଅଧ୍ୟକ୍ଷ), ଶ୍ରୀ ସାଇ ସ୍ୱରୂପ (ADPHO), ଶ୍ରୀ ତରୁଣ ତପନ ପ୍ରହରାଜ (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ) ଏବଂ ଶ୍ରୀମତୀ ନିଶା କେ. ଏସ୍ (ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ) ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ
ଅତିଥିମାନଙ୍କ ପ୍ରମୁଖ ଅଭିଭାଷଣ ପରେ ବିଭିନ୍ନ ବିଦ୍ୟାଳୟ ଯଥା: କେନ୍ଦ୍ରୀୟ ବିଦ୍ୟାଳୟ, ଶିଶୁ ବିଦ୍ୟା ମନ୍ଦିର, ମାନସ ବିଦ୍ୟାଳୟ, ଦୃଷ୍ଟିବାଧିତ ବିଦ୍ୟାଳୟ (କୋରାପୁଟ) ଏବଂ ଶ୍ରବଣବାଧିତ ବିଦ୍ୟାଳୟ (ସୁନାବେଡା) ର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ବକ୍ତୃତା, ନାଟକ ଏବଂ ସଂଗୀତ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହା ସହ ବିଶିଷ୍ଟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।
ବ୍ୟବସ୍ଥାପନା ଓ ସହଯୋଗ
ଏହି କାର୍ଯ୍ୟକ୍ରମର ଆୟୋଜନ ଓ ସୁପରିଚାଳନା ଶ୍ରୀମତୀ ଆହାନ ବୈଦ୍ (ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ), ଶ୍ରୀ ସୁବ୍ରତ ପାଣିଗ୍ରାହୀ (କନିଷ୍ଠ ସହାୟକ), ଶ୍ରୀ ସୁଧାଂଶୁ ସିଂ, ଶ୍ରୀ ଅର୍ଜୁନ ମାଝୀ ଏବଂ ସାମାଜିକ ସୁରକ୍ଷା ଉପବିଭାଗର ସମସ୍ତ ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ଅଗ୍ନିଶମ ବିଭାଗ, ପୋଲିସ୍ ବିଭାଗ, ସ୍ପ୍ରେଡ୍ (SPRED) ଏବଂ ଏକତା (EKTA) ଭଳି ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ଉପକରଣ ବଣ୍ଟନ
ଏହି ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିସରରେ ଆୟୋଜିତ ପରବ କାର୍ଯ୍ୟକ୍ରମ ଗୁଡ଼ିକରେ ୱିଲ୍ ଚେୟାର ବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ, ଆଜି ଦାମନଯୋଡ଼ି, କୋରାପୁଟ ଠାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର କୁଶଳୀ ଉପକରଣ ବଣ୍ଟନ କରାଯାଇଥିଲା।
