କୋରାପୁଟ ଜିଲ୍ଲାପାଳଙ୍କ କୋଲାବ ଅଞ୍ଚଳ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କୋରାପୁଟ ଜିଲ୍ଲାପାଳଙ୍କ କୋଲାବ ଅଞ୍ଚଳ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କୋଲାବ ନଗର: ୪।୨ (ନିଜସ୍ୱ ପ୍ରତିନିଧି)କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ କୋରାପୁଟ ବ୍ଲକର ଦେବୀଘାଟ ଓ ବଡ଼କେରେଙ୍ଗା ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ପରଖିବା ସହ ହିତାଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ।କ୍ଷେତ୍ର ପରିଦର୍ଶନ ଓ ଗୋଷ୍ଠୀଗତ ବିକାଶଜିଲ୍ଲାପାଳ ପ୍ରଥମେ ଦେବୀଘାଟ ପଞ୍ଚାୟତର ନିର୍ମାଣାଧୀନ ନୂତନ ପଞ୍ଚାୟତ ଗୃହ ପରିଦର୍ଶନ କରି କାର୍ଯ୍ୟର ମାନ ତଦାରଖ କରିଥିଲେ। ଏହାପରେ ବଡ଼କେରେଙ୍ଗା ପଞ୍ଚାୟତର ଚକଲି ଗ୍ରାମରେ ‘ଉଲି ସ୍ୱୟଂ ସହାୟିକା ଗୋଷ୍ଠୀ’ ଦ୍ୱାରା କରାଯାଉଥିବା ଢିଙ୍ଗିରି ଛତୁ ଚାଷ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗୋଷ୍ଠୀର ସମ୍ପାଦିକା ଚନ୍ଦ୍ରମା ଜାନୀଙ୍କୁ ଛତୁ ଚାଷ ସହ ଛେଳି ପାଳନ କରି ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଥିଲେ।

ଛତୁଆ କେନ୍ଦ୍ର ଓ ଭତ୍ତା ପ୍ରଦାନ

କୋଲାବ ନଗରରେ କଫି ଚାରା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିବା ସହ ‘ମା ପାର୍ବତୀ ଛତୁଆ କେନ୍ଦ୍ର’ରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ପ୍ରସ୍ତୁତ ଛତୁଆ ଏବଂ ବାଦାମ ଲଡୁର ମାନ ପରୀକ୍ଷା କରିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟରେ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ପ୍ରଦାନ କରିବା ସହ ଅମୃତ ସରୋବର ପ୍ରକଳ୍ପର ସମୀକ୍ଷା କରିଥିଲେ।

ରାସ୍ତା କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ

ଅପର କୋଲାବ ଯୋଜନାର ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ବିଳମ୍ବ ହେଉଥିବା ଦେଖି ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀ ଆର.କେ. ବେହେରାଙ୍କ ସହ ଏହାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ କୋରାପୁଟ ବ୍ଲକ ବିଡିଓ ଦେବାଶିଷ ଗୌଡ଼, ସିଡିପିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *