
କୋଲାବ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ସମ୍ପନ୍ନ
କୋଲାବ ନଗର: (ନିଜସ୍ୱ ପ୍ରତିନିଧି)କୋରାପୁଟ ବ୍ଲକ ଅନ୍ତର୍ଗତ କୋଲାବ ନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବାଶିଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ଉତ୍ସବର ପ୍ରଥମ ପର୍ଯ୍ୟାୟପ୍ରଥମ
ପର୍ଯ୍ୟାୟରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, “ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଏବଂ ଶିକ୍ଷା ହିଁ ପ୍ରକୃତ ବଞ୍ଚିବାର କୌଶଳ।” ସମ୍ମାନିତ ଅତିଥି ଭାବେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଦିବାକର ଲେଙ୍କା ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମାକ୍ଷୀ ପ୍ରସାଦ ପାଢ଼ୀ ଯୋଗଦେଇଥିଲେ। ଶ୍ରୀ ପାଢ଼ୀ ଶିକ୍ଷାର ମହତ୍ତ୍ୱ, ସମୟର ସଦୁପଯୋଗ ଏବଂ ମାନସିକ ବଳ ଦୃଢ଼ କରିବା ଉପରେ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ଓ ପୁରସ୍କାର ବିତରଣ
ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଏସ.ବି.ଆଇ ଶାଖା ପରିଚାଳକ ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଉମୁରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ରଥ ଏବଂ ସମ୍ମାନିତ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ନାୟକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସମୁଦାୟ ୧୦୫ଟି ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ସୁଜିତ କୁମାର ଜେନା ଏବଂ ଅରୁଣ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ
ଉତ୍ସବର ଶେଷ ଭାଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଥମେ ଓଡ଼ିଶୀ ନୃତ୍ୟ ସହ ୨୧ଟି ଗୋଷ୍ଠୀ ନୃତ୍ୟ ଏବଂ ଶାରୀରିକ କ୍ରୀଡ଼ା ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଅକ୍ଷୟ କୁମାର ସାହୁ, ଶୁଚିସ୍ମିତା କବାଟ, ସୁଭଦ୍ରା ଭୂୟାଁ, କୁସୁମା ଯାନୀ, ଅନୁରାଗ ମିଶ୍ର, ଦୀପକ କୁମାର ନାହାକ, ତାପସ ମହାନ୍ତି, ସୂବେନ୍ଦୁ ଖୋସଲା, ଅବଜ ଧାରିଣୀ ମହାପାତ୍ର, ଏସ. ନାଗେଶ୍ୱର ରାଓ ଏବଂ ସିମାଞ୍ଚଳ ପେଣ୍ଠିଆ ପ୍ରମୁଖ ସହଯୋଗ କରିଥିଲେ।
