ଡ୍ରାଇଭର ଓ ବୃଦ୍ଧା ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର
ଜୟପୁର, ୨୮/୧୨ : କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳ ଅନ୍ତର୍ଗତ ପେଟା ମାଳିଗୁଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁନ୍ଦୁରା ଗ୍ରାମରୁ ତିନିଟି ପରିବାର ଏକ କାର୍ରେ ଆନ୍ଧ୍ର ପ୍ରଦେଶର ଆର୍କୁ ଭ୍ରମଣକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ପେଟା ମାଳିଗୁଡ଼ା ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଭ୍ୟାନ୍ ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ।ଦୁର୍ଘଟଣାରେ କାର୍ ଡ୍ରାଇଭର ଓ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଆହତମାନେ ସାଧାରଣ ଆଘାତ ପାଇଥିବା ସୂଚନା ମିଳିଛି। ଖବର ପାଇ ରାଣୀତୋଟା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସମସ୍ତ ଆହତଙ୍କୁ ବୈପାରିଗୁଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ କାର୍ ଡ୍ରାଇଭର ଓ ବୃଦ୍ଧାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ, ଡ୍ରାଇଭରଙ୍କ ହାତ ଭାଙ୍ଗିବା ସହ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
