ନନ୍ଦପୁର ଫାୟାର ଷ୍ଟେସନ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା; ୩ ଗୁରୁତର

ନନ୍ଦପୁର, ୧/୧୨,କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ଗତ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
ଗୁରୁତର ଆହତମାନେ ହେଲେ ଜୋଲାପୁଟ ଅଞ୍ଚଳର ମହେଶ ଖୋଲ (୩୦), ଲୋକେଶ ହନ୍ତାଳ (୧୯) ଓ ଡକରିପୁଟ ଗ୍ରାମର ମୌସୁମୀ ଖୋଲ (୧୪)।
ଦୁର୍ଘଟଣା ଘଟିବା ପରେ ନନ୍ଦପୁର ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଥିବା ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରେ, ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଏସ୍.ଏଲ୍.ଏନ୍.ଏମ୍.ସି (SLNMCH) କୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ନନ୍ଦପୁର ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *