ଲମତାପୁଟରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି; ୨୮ଟି ଅଭିଯୋଗର ଶୁଣାଣି ସହ ୬ଟି ସମସ୍ୟାର ତୁରନ୍ତ ସମାଧାନ

ଲମତାପୁଟ, କୋରାପୁଟ:
କୋରାପୁଟ ଜିଲ୍ଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣ ଲୋକଙ୍କ ସମସ୍ୟା ଶୁଣିଥିଲେ।
ଏହି ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମହାଲିକ, ପିଏ ଆଇଟିଡିଏ ସ୍ନେହପ୍ରଭା ମାଝୀ, ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ଖଣ୍ଡିୟ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ, ଲମତାପୁଟ ବ୍ଲକ ଅଧ୍ୟକ୍ଷ ତାପସ କୁମାର ଚାଲାଣ, ଏବଂ ଡିପିଏଚଓ ଡା. ଦେବଦାତା ମହଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।
ଜିଲ୍ଲାପାଳ ଶ୍ରୀ ମହାଜନ ମୋଟ ୨୮ ଗୋଟି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ଏଥି ମଧ୍ୟରେ ୧୦ ଗୋଟି ବ୍ୟକ୍ତିଗତ ସମସ୍ୟା ଉପରେ ଏବଂ ୧୮ ଗୋଟି ସାମୁହିକ ସମସ୍ୟା ଉପରେ ଅଭିଯୋଗ ଗ୍ରହଣ କରାଯାଇଥିଲା। ଶୁଣାଣି ସ୍ଥଳରେ ହିଁ ତୁରନ୍ତ ୬ ଗୋଟି ସମସ୍ୟାର ସମାଧାନ କରାଯାଇଥିଲା।
ବାକି ରହିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ତଦନ୍ତ କରି ସମାଧାନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଲମତାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେରଙ୍କ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *