ନବରଙ୍ଗପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ଶୁଭାରମ୍ଭ: ଶୋଭାଯାତ୍ରା ମାଧ୍ୟମରେ ସଚେତନତା ବାର୍ତ୍ତା
ନବରଙ୍ଗପୁର, ୧୫/୦୧/୨୦୨୬ (ନିଜସ୍ୱ ପ୍ରତିନିଧି):
ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ଜନସାଧାରଣ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସଡ଼କ ସୁରକ୍ଷା ଶପଥ ପାଠ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଜୀବନ ଅମୂଲ୍ୟ, ତେଣୁ ପ୍ରତ୍ୟେକ ବ୍ୟକ୍ତି ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାଇବା ଉଚିତ।”
ଶୋଭାଯାତ୍ରାରେ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସହରବାସୀଙ୍କୁ ସଚେତନ କରିଥିଲେ। ଏଥିସହ ସର୍ବସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଲିଫଲେଟ୍ ବଣ୍ଟନ କରାଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ (RTO), ଜିଲ୍ଲା ଶିକ୍ଷା ଅଧିକାରୀ (DEO), ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO), ଟ୍ରାଫିକ ଇନ୍ସପେକ୍ଟରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ନବରଙ୍ଗପୁର ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।
