
ଗୁଟଖା ନିଷେଧାଦେଶକୁ ନେଇ ସରକାରୀ ସ୍ତରରେ ଦ୍ଵନ୍ଦ୍ଵ: କାହିଁକି କୋହଳ ହେଲା କଟକଣା?
ରାଜ୍ୟପାଳଙ୍କ ନିର୍ଦ୍ଦେଶ ଓ ସଚିବଙ୍କ ସ୍ପଷ୍ଟିକରଣ ମଧ୍ୟରେ ଛନ୍ଦି ହେଲା ପ୍ରଶାସନ; ଚଢ଼ାଉ ବେଳେ ଅସମଞ୍ଜସରେ ପ୍ରବର୍ତ୍ତନ ସଂସ୍ଥା।
ଭୁବନେଶ୍ୱର: ରାଜ୍ୟରେ ଗୁଟଖା ଓ ନିକୋଟିନ୍ଯୁକ୍ତ ପାନମସଲା ନିଷିଦ୍ଧ କରିବା ପାଇଁ ସରକାର ଜାରି କରିଥିବା ନିଜ ବିଜ୍ଞପ୍ତିକୁ ନିଜେ ସଂଶୋଧନ କରିବା ପରେ ଏବେ ସନ୍ଦେହ ଓ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଗତ ଜାନୁଆରୀ ୨୧ରେ ରାଜ୍ୟପାଳଙ୍କ ଆଦେଶକ୍ରମେ କଡ଼ା କଟକଣା ଜାରି ହୋଇଥିବା ବେଳେ, ଜାନୁଆରୀ ୨୯ରେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ଏକ ସ୍ପଷ୍ଟିକରଣ ଏହି ନିୟମକୁ କୋହଳ କରିଥିବା ଅଭିଯୋଗ ହୋଇଛି।ବିଧି ବିଶେଷଜ୍ଞଙ୍କ ମତରେ, ରାଜ୍ୟ ଗେଜେଟରେ ପ୍ରକାଶିତ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଜଣେ ସଚିବଙ୍କ ଚିଠି କିଭଳି ବଦଳାଇ ପାରିବ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ଅନ୍ୟପଟେ, ତମାଖୁ ଶିଳ୍ପପତିମାନେ ସାଧା ମୁଖବାସ ନାଁରେ ଗଣମାଧ୍ୟମ ଓ ରାସ୍ତାଘାଟରେ ହୋର୍ଡିଂ ଲଗାଇ ସରକାରଙ୍କ ଆଖିରେ ଧୂଳି ଦେଉଥିବା ବେଳେ ପ୍ରଶାସନ ନୀରବ ରହିଛି। ଓଡ଼ିଶାରେ ୪୨ ପ୍ରତିଶତ ବୟସ୍କ ବ୍ୟକ୍ତି ତମାଖୁ ସେବନ କରୁଥିବା ବେଳେ ସରକାରଙ୍କ ଏହି କୋହଳ ଆଭିମୁଖ୍ୟ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ାଇବାକୁ ଖୋଲା ଆମନ୍ତ୍ରଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ରାଜ୍ୟରେ ଗୁଟଖା ବ୍ୟାନକୁ ନେଇ ଏବେ ସରକାରୀ କଳରେ ବଡ଼ ଦ୍ଵନ୍ଦ୍ଵ। ଜାନୁଆରୀ ୨୧ରେ ସରକାର କହିଲେ ଗୁଟଖା ନିଷିଦ୍ଧ, କିନ୍ତୁ ଜାନୁଆରୀ ୨୯ରେ ପୁଣି ସ୍ପଷ୍ଟିକରଣ ଆସିଲା ଯେ ତମାଖୁ ନଥିବା ପାନମସଲା ଉପରେ କଟକଣା ନାହିଁ।ତେବେ ପ୍ରଶ୍ନ ଉଠୁଛି, ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ପ୍ରକାଶିତ ଗେଜେଟ ବିଜ୍ଞପ୍ତିକୁ ସ୍ୱାସ୍ଥ୍ୟ ସଚିବଙ୍କ ଗୋଟିଏ ସ୍ପଷ୍ଟିକରଣ କିଭଳି କୋହଳ କରିପାରିଲା? କାହା ସ୍ୱାର୍ଥରେ ସରକାର ନିଜ ନିଷ୍ପତ୍ତିରୁ ଓହରି ଯାଉଛନ୍ତି?ଓଡ଼ିଶାରେ କ୍ୟାନସର ଚିକିତ୍ସା କେନ୍ଦ୍ରର ସଂଖ୍ୟା ୧ରୁ ୪୦କୁ ବୃଦ୍ଧି ପାଇଛି, ତଥାପି ବେଡ୍ ମିଳୁନାହିଁ। ଜାତୀୟ ହାର ତୁଳନାରେ ଓଡ଼ିଶାରେ ତମାଖୁ ସେବନକାରୀଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ। ଏଭଳି ସ୍ଥିତିରେ ସରକାରଙ୍କ ଏହି ଦୋମୁହାଁ ନୀତି କାହା ପାଇଁ? କୋଟି କୋଟି ଟଙ୍କାର ରାଜସ୍ୱ ପାଇଁ କ’ଣ ଓଡ଼ିଶାବାସୀଙ୍କ ଜୀବନ ସହ ଖେଳାଯାଉଛି
