ଭିଜିଲାନ୍ସ କୋର୍ଟରେ ୩ଟି ପୃଥକ ମାମଲାର ବିଚାର: ଓଏଏସ ଅଫିସରଙ୍କ ସମେତ ୮ ଜଣ ଦୋଷୀ ସାବ୍ୟସ୍ତ

ବାରିପଦା/ବ୍ରହ୍ମପୁର/ଅନୁଗୋଳ, ୨୪ ଡିସେମ୍ବର (ଓଡ଼ିଆ ପୁଅ):
ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗକୁ ବଡ଼ ସଫଳତା ମିଳିଛି। ବୁଧବାର ଦିନ ତିନୋଟି ପୃଥକ ଦୁର୍ନୀତି ମାମଲାରେ ଜଣେ ପୂର୍ବତନ ଓଏଏସ (OAS) ଅଧିକାରୀ, ୪ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସମେତ ସମୁଦାୟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
୧. ସୁବର୍ଣ୍ଣରେଖା ପ୍ରକଳ୍ପ ଅର୍ଥ ହେରଫେର: ଓଏଏସ ଓ ବ୍ୟାଙ୍କ ଅଧିକାରୀଙ୍କୁ ଜେଲ
ବାରିପଦା ସ୍ପେଶାଲ ଭିଜିଲାନ୍ସ କୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ବାରିପଦା ଲକ୍ଷ୍ମୀପୋଷୀସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୂର୍ବତନ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (LAO) ଗୌରାଙ୍ଗ ଚରଣ ମହାନ୍ତି (OAS) ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI), ତକତପୁର ଶାଖାର ୪ ଜଣ ପୂର୍ବତନ ଅଧିକାରୀଙ୍କୁ ୩୭ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ଶାଖା ପରିଚାଳକ ଅଖଣ୍ଡଳ ପ୍ରସାଦ ମହାନ୍ତି, ଷ୍ଟାଫ୍ ଅଫିସର ପୁରୁଷୋତ୍ତମ ମହାନ୍ତି, କିରାଣୀ ସୁଦାମ ଚନ୍ଦ୍ର ସାହୁ ଏବଂ କ୍ୟାସିଅର ଶାନ୍ତନୁ କୁମାର କର। ମାନ୍ୟବର କୋର୍ଟ ସମସ୍ତଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ସମସ୍ତ ଅଧିକାରୀ ଅବସର ନେଇସାରିଥିବାରୁ, ସେମାନଙ୍କ ପେନସନ ବନ୍ଦ ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯିବ।
୨. ବ୍ରହ୍ମପୁର ମାର୍କଫେଡ୍ ଅଞ୍ଚଳ ପରିଚାଳକଙ୍କୁ ୩ ବର୍ଷ ଜେଲ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁରସ୍ଥିତ ମାର୍କଫେଡ୍ (MARKFED) ର ପୂର୍ବତନ ଅଞ୍ଚଳ ପରିଚାଳକ ଭୁବନ ମୋହନ ଦାଶଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରାୟ ୨୦ ଲକ୍ଷ ୬୪ ହଜାର ଟଙ୍କାର ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଦାଶ ପୂର୍ବରୁ ମଧ୍ୟ ୩ଟି ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଏହା ତାଙ୍କ ବିରୋଧରେ ଚତୁର୍ଥ ଦଣ୍ଡାଦେଶ।
୩. ଲାଞ୍ଚ ନେଇ ଛନ୍ଦି ହେଲେ ଇଡକୋର ପୂର୍ବତନ ଡିଭିଜନାଲ ମ୍ୟାନେଜର
ଅନୁଗୋଳ ଇଡକୋ (IDCO) ର ପୂର୍ବତନ ଡିଭିଜନାଲ ମ୍ୟାନେଜର ପବିତ୍ର ମୋହନ ନାୟକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅନୁଗୋଳ ଭିଜିଲାନ୍ସ କୋର୍ଟ ୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଢେଙ୍କାନାଳ ମହିଷାପାଟ ଶିଳ୍ପାଞ୍ଚଳରେ ଏକ ସେଡ୍‌ର ଲିଜ୍ ଅବଧି ବଢ଼ାଇବା ପାଇଁ ସେ ଲାଞ୍ଚ ଦାବି କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ମଧ୍ୟ ପେନସନ ବନ୍ଦ ପାଇଁ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହୋଇଛି।
ଭିଜିଲାନ୍ସ ବିଭାଗର ଏହି କଡ଼ା ଆଭିମୁଖ୍ୟ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *