“ଆତ୍ମବିଶ୍ବାସ ବିନା ସଫଳତା ମିଳିବ ନାହିଁ” — ଉପଜିଲ୍ଲାପାଳ ଆକାଭରମ ସସ୍ୟା ରେଡ୍ଡୀ
ଜୟପୁର, ୯/୧୧, ମହିଳା ସଶକ୍ତୀକରଣ ଓ ସ୍ବାବଲମ୍ବନ ପାଇଁ ଆତ୍ମବିଶ୍ବାସ ଅତ୍ୟାବଶ୍ୟକ ବୋଲି ଉପଜିଲ୍ଲାପାଳ ସୁଶ୍ରୀ ଆକାଭରମ ସସ୍ୟା ରେଡ୍ଡୀ କହିଛନ୍ତି। ସେ ଶନିବାର ଜୟପୁର ଟାଉନ୍ ହଲରେ ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ଓଡ଼ିଶା–୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, “ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ସହିତ ମହିଳାମାନେ ଆଗକୁ ବଢ଼ିଲେ କୌଣସି ପ୍ରତିକୂଳ ପରିସ୍ଥିତି ସେମାନଙ୍କୁ ରୋକିପାରିବ ନାହିଁ।”
ସେ ଆହୁରି କହିଲେ ଯେ, ଉଚ୍ଚଶିକ୍ଷା ମହିଳାଙ୍କ ମନୋବଳକୁ ବୃଦ୍ଧି କରେ ଓ ସ୍ବାବଲମ୍ବନ ପଥରେ ନେଇଯାଏ। “ବାହାରକୁ ଯିବା ସୁଯୋଗ ମିଳିଲେ ଭୟ ଦୂର କରି ଆଗକୁ ଯିବା ଦରକାର,” ବୋଲି ସେ ପରାମର୍ଶ ଦେଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କଲେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡ. ମୋନିକା ନେଉୟର ପଟ୍ଟନାୟକ। ସେ କହିଲେ, “‘ସମ୍ବାଦ’ ମହିଳା ସଶକ୍ତୀକରଣର ଅଗ୍ରଦୂତ ଭାବେ ଗ୍ରାମୀଣ ମହିଳାଙ୍କ ପ୍ରତିଭାକୁ ଲୋକମଞ୍ଚକୁ ଆଣିଛି। ‘ଓଡ଼ିଶା–୫୦’ ମାଧ୍ୟମରେ ଆମେ ଗ୍ରାମୀଣ ମହିଳାଙ୍କୁ ନିର୍ଭୟ ଓ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଜାରି ରଖିଛୁ।”
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଇଗ୍ନୋ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲତିକା ମିଶ୍ର କହିଲେ ଯେ, କେବିକେ ଅଞ୍ଚଳରେ ଉଚ୍ଚଶିକ୍ଷା ହାର ହ୍ରାସପ୍ରାପ୍ତ ଅଛି ଓ ଗ୍ରାମାଞ୍ଚଳର ଝିଅମାନେ ଶିକ୍ଷା ପ୍ରତି ଅଧିକ ଆଗ୍ରହି ହେବା ଆବଶ୍ୟକ। ସେ ଆହୁରି କହିଲେ ଯେ, ଦୂରଶିକ୍ଷା ମାଧ୍ୟମରେ ମହିଳାମାନେ ଘରେ ରହି ଉଚ୍ଚଶିକ୍ଷିତ ହୋଇ ସ୍ବାବଲମ୍ବୀ ହେବା ସମ୍ଭବ।
ଏହି ସମାବେଶରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ୪୨ ବ୍ଲକରୁ ୧୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ମତବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଠି ଡ. ରାଇମତି ଘିଉରିଆ, ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର ଓ ନିରଞ୍ଜନ ଟାଙ୍ଗରଙ୍ଗ ଅତିଥି ଭାବେ ଯୋଗଦେଇଥିଲେ।
