ମାସରେ ଅଧା ଦିନ ବିଦ୍ୟୁତ୍ ସେବା ଠପ୍ ସ୍ଥାନୀୟ ଯୁବକ ପାଲଟିଛନ୍ତି ଲାଇନ୍ ମ୍ୟାନ୍

ବୈପାରିଗୁଡା,୩/୧୧, ମାସରେ ଅଧା ଦିନ ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଥିବାରୁ ବୈପାରିଗୁଡା ବ୍ଲକର କାଠପଡା ପଞ୍ଚାୟତର ୧୨ ଖଣ୍ଡ ଗ୍ରାମବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ନଥିବା ନେଇ ବିଭାଗୀୟ କାର୍ଯ୍ୟାଳୟକୁ ଅବଗତ କରାଯିବା ପରେ ମଧ୍ୟ କୌଣସି କର୍ମଚାରୀ ମରାମତି ପାଇଁ ଆସୁନାହାନ୍ତି। ତେଣୁ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଲାଇନ୍ ମ୍ୟାନ୍ କାମ କରିବାକୁ ପଡୁଛି। ଜୀବନକୁ ବାଜି ଲଗାଇ ବାଉଁଶ ସହାୟତାରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି କରୁଛନ୍ତି। ବିନା ହ୍ୟାଣ୍ଡ ଗ୍ଲୋବସ ଓ ସେପ୍ଟି, ହେଲମେଟରେ ଯୁବକମାନେ ବିଦ୍ୟୁତ ଖୁଣ୍ଟରେ ଚଢୁଛନ୍ତି । ମାସର ଅଧା ଦିନ ଲୋ-ଭୋଲଟେଜ୍ ସମସ୍ଯା ଦେଖାଦେଉଛି। ଫ୍ୟାନ୍ ବୁଲୁନଥିବା ବେଳେ ମିଞ୍ଜି ମିଞ୍ଜି ହୋଇ ବଲ୍‌ବ ଜଳୁଥିବାରୁ ଲୋକେ ହଇରାଣ
ହେଉଛନ୍ତି। ଏଭଳି ସ୍ଥିତିରେ ମୋବାଇଲ ଚାର୍ଜ କରିବାକୁ ହେଲେ କାଠପଡ଼ା ପଞ୍ଚାୟତ ସଦର କିମ୍ବା କୋଲାର ପଞ୍ଚାୟତ ଉପରେ ନିର୍ଭର କରିବାକୁ ପଡୁଛି ସମସ୍ୟା ନେଇ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗ କଣ୍ଠପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା କେବଳ କାଠପଡ଼ା ପଞ୍ଚାୟତରେ ନୁହଁ ଚିପାକୁର, କୋଲାର ଏବଂ ଜି. ମାଝିଗୁଡା ପଞ୍ଚାୟତରେ ମଧ୍ୟ ରହିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନଥିବାରୁ ଗତ ମାସ ୨୨ ତାରିଖରେ ୪ଖଣ୍ଡ ପଞ୍ଚାୟତବାସୀ ବୈପାରିଗୁଡା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ବି ସମସ୍ୟାର ସମାଧାନ ହୋଇପାରିନି। ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *