ମୁଖ୍ୟଧାରାକୁ ଫେରି ପ୍ରଥମ ଦୀପାବଳି ପାଳିଲେ ପୂର୍ବତନ ମାଓବାଦୀ ମହିଳାମାନେ

କୋରାପୁଟ, ୨୧/୧୦, ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ନବରଙ୍ଗପୁର  ରାଇଘର
ଓ ଛତିଶଗଡ଼ ସୀମାଞ୍ଚଳର ଗାରିଆବନ୍ଧ ଅଞ୍ଚଳରେ ଏବେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି — ଯେଉଁଠି ଜଙ୍ଗଲରେ ବର୍ଷକାଳ ଧରି ଗୁଳିବାରୁଦର ଜୀବନ ବ୍ୟତୀତ କରିଥିବା ମହିଳା ମାଓବାଦୀମାନେ ଏବେ ଦୀପାବଳି ପର୍ବକୁ ଆନନ୍ଦର ସହିତ ପାଳନ କରୁଛନ୍ତି। ପୁଲିସଙ୍କ ସମ୍ମୁଖରେ ଆତ୍ମସମର୍ପଣ ପରେ ସେମାନେ ଏବେ ନିର୍ଭୟ ଭାବରେ ମୁଖ୍ୟସ୍ରୋତର ଜୀବନକୁ ଆଲିଙ୍ଗନ କରିଛନ୍ତି।
ଜାନସୀ, ଜଙ୍କି, ବୈଜନ୍ତୀ, ମଞ୍ଜୁଳା ଓ ମୈନା ନାମକ ପୂର୍ବତନ ମାଓ ନେତ୍ରୀମାନେ — ଯେଉଁମାନଙ୍କ ଉପରେ ଏକ ସମୟରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା — ଏବେ ସାଧାରଣ ଗାଁଘରର ମହିଳାଙ୍କ ପରି ଗାରିଆବନ୍ଧ ବଜାରରେ ଦୀପାବଳି ଉପଲକ୍ଷେ ଜିନିଷପତ୍ର ଓ ପୋଷାକ କିଣୁଥିବା ଦେଖିଲେ ଲୋକମାନେ ଆଶ୍ଚର୍ୟ ହୋଇପଡ଼ିଥିଲେ।
ହିଂସା ଓ ଆତଙ୍କର ପଥ ଛାଡି ଶାନ୍ତି ଓ ଉନ୍ନତିର ପଥକୁ ବାଛି ନେଇଥିବା ଏହି ମହିଳାମାନଙ୍କ ପାଇଁ ଏହି ଦୀପାବଳି ପ୍ରଥମ ଏବଂ ସବୁଠୁ ଖୁସିର। ତେଲଦିଆ ଆଲୋକରେ ସେମାନେ ନିଜ ଘର ଓ ମନକୁ ଆଲୋକିତ କରିଥିଲେ, ଯାହା ସମଗ୍ର ଅଞ୍ଚଳ ପାଇଁ ଏକ ଆଶାର ସନ୍ଦେଶ ହେଇପଡ଼ିଛି।
ସୂତ୍ର ଅନୁସାରେ, ନିକଟ ଅବଧିରେ ଦୁଇଶ ଠାରୁ ଅଧିକ ମାଓବାଦୀ ପୁଲିସଙ୍କ ପୁନର୍ବାସ ଯୋଜନା ଦ୍ୱାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ମାଓ ନେତା ରୂପେଶ ମଧ୍ୟ ଜଙ୍ଗଲରେ ରହିଥିବା ଅନ୍ୟ ସହଭାଗୀମାନଙ୍କୁ ଶୀଘ୍ର ମୁଖ୍ୟସ୍ରୋତରେ ଯୋଗ ଦେବାକୁ ଆହ୍ବାନ କରିଛନ୍ତି।
ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ଏବେ ଚାଷ ଓ ସାଧାରଣ ଜୀବିକା ଉପରେ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ କହିବା ଅନୁସାରେ, “ଏହି ଦୀପାବଳି ଆମ ପାଇଁ ନୂଆ ଜୀବନର ପ୍ରତୀକ — ହିଂସା ନୁହେଁ, ଶାନ୍ତି ଓ ସମାଜସେବା ଆମ ଲକ୍ଷ।”
ଏପରି ସୂଚନା ମିଳିଛି ଯେ, ଦୁର୍ଦାନ୍ତ ମାଓ ନେତା ହିଡମା ମଧ୍ୟ ଶୀଘ୍ର ଆତ୍ମସମର୍ପଣ କରିପାରନ୍ତି। ଯଦି ଏହା ଘଟେ, ତେବେ ମାଓ ଆନ୍ଦୋଳନ ମୁଳସହିତ ସମାପ୍ତ ହେବା ନିଶ୍ଚିତ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *