ବିଇଓଙ୍କ କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟ ସ୍କୁଲକୁ ପଠାଇଲା କେସିଙ୍ଗା ଶିକ୍ଷା ବିଭାଗ
କେସିଙ୍ଗା: ଗତ ସପ୍ତାହକ ତଳେ କେସିଙ୍ଗା ୱାର୍ଡ ନଂ ୯ର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ରଥ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଦୁର୍ବ୍ୟବହାର କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମାମଲାର ତଦନ୍ତ ଶେଷ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ବଦଳି କରିଥିବା ଜଣାପଡ଼ିଛି।
ଘଟଣା କ୍ରମ:
ବିଦ୍ୟାଳୟରେ ଥିବା ଅନେକ ସମସ୍ୟା, ବିଶେଷ କରି ସବୁ ସମୟରେ ଶୌଚାଳୟରେ ତାଲା ପକାଇ ଛାତ୍ରଛାତ୍ରୀଙ୍କୁ ବ୍ୟବହାର ପାଇଁ ବାରଣ କରିବା ଏବଂ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ପାଚିକା ସହାୟିକାଙ୍କୁ ବିନା ସୂଚନାରେ ସ୍କୁଲରୁ ବାହାର କରିଦେବା ଭଳି ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ମିଳିଥିଲା। ଏହାର ସତ୍ୟାସତ୍ୟ ଜାଣିବାକୁ କିଛି ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟକୁ ଯାଇଥିଲେ।
ତେବେ, ପ୍ରଧାନ ଶିକ୍ଷୟତ୍ରୀ ଜଣକ କ୍ୟାମେରା ଓ ବୁମ୍ ଦେଖି ଚିହିଁକି ପଡ଼ିଥିଲେ ଏବଂ ଫଟୋ ଉତ୍ତୋଳନ କରୁଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରୁଥିବା ଘଟଣା ମୋବାଇଲରେ ରେକର୍ଡ ହୋଇଥିଲା।
ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ:
ଘଟଣା ସମ୍ପର୍କରେ କେସିଙ୍ଗାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ଆନନ୍ଦ କୁମାର ବେହେରାଙ୍କୁ ଅବଗତ କରାଇବା ସହ ମୋବାଇଲ ଛଡ଼ାଇବା ଚେଷ୍ଟାର ଭିଡିଓ ପ୍ରଦାନ କରିଥିଲେ।
ବିଇଓ ମହାଶୟ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ପରେ ଗତ ଶୁକ୍ରବାର ଦିନ ଏକ ତିନି ଜଣିଆ ତଦନ୍ତକାରୀ ଦଳ ବିଦ୍ୟାଳୟର ଅନିୟମିତତା ସମେତ ପାଚିକା ସହାୟିକାଙ୍କ ବହିଷ୍କାର ବିଷୟରେ ତଦନ୍ତ କରିଥିଲେ।
ତଦନ୍ତ ରିପୋର୍ଟ ଆଧାରରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ପ୍ରଧାନ ଶିକ୍ଷୟତ୍ରୀ ସବିତା ରଥଙ୍କୁ ଡୁମେରମୁଣ୍ଡା ସରକାରୀ ବିଦ୍ୟାଳୟକୁ ଡେପୁଟେସନରେ ବଦଳି କରିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଚିଠି ପ୍ରକାଶ ପାଇଛି।
ଅସନ୍ତୋଷ:
ଅପରପକ୍ଷରେ, ପ୍ରଧାନ ଶିକ୍ଷୟତ୍ରୀଙ୍କୁ କେବଳ ଡେପୁଟେସନରେ ଅନ୍ୟ ସ୍କୁଲକୁ ପଠାଯିବା ନିଷ୍ପତ୍ତିକୁ ନେଇ କେସିଙ୍ଗା ସାମ୍ବାଦିକ ସମୂହଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ଭାବେ ବଦଳି କରାଗଲା ନାହିଁ କାହିଁକି, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସାମ୍ବାଦିକଙ୍କ ପ୍ରତି ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ମାମଲା: ତଦନ୍ତ ଶେଷ
