



ଯୁବ ପିଢ଼ିଙ୍କୁ ଆମ୍ବେଦକରଙ୍କ ପୁସ୍ତକ ପଢିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ
କୋରାପୁଟ, ୧୪ ଏପ୍ରିଲ (କ୍ରାନ୍ତି ଇଣ୍ଡିଆ ନ୍ୟୁଜ୍):
କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ବାବା ସାହେବଙ୍କ ପ୍ରତିମୂର୍ତ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ପୁଷ୍ପମାଲ୍ୟାର୍ପଣ ଓ ଅତିଥିଙ୍କ ଯୋଗଦାନ
କାର୍ଯ୍ୟକ୍ରମ ପ୍ରାରମ୍ଭରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଏବଂ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିମାଇଁ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଏବଂ ସମାଜସେବୀ ରୂପକ ତୁରୁକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବା ସାହେବଙ୍କ ସ୍ମୃତି ଚାରଣ କରିଥିଲେ।
ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଏହି ଅବସରରେ ଉଦବୋଧନ ଦେଇ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଆଜିର ଯୁବ ପିଢ଼ିଙ୍କୁ ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢିବାକୁ ଆହ୍ୱାନ ଦେଇଥିଲେ। ଜ୍ଞାନ ଆହରଣ ମାଧ୍ୟମରେ ହିଁ ସମାଜର ପରିବର୍ତ୍ତନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିପରି ବିଧାୟକ ରଘୁରାମ ମାଛ ଭାରତୀୟ ସମ୍ବିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଅତୁଳନୀୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିବା ବେଳେ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।
କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ
ଏହି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ଉତ୍ସବରେ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।
