୧୯୭୫ ମସିହା ଷଷ୍ଠ ଶ୍ରେଣୀ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳିତ।

ଜୟପୁର, ୨୮/୧୨: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୯୭୫ ମସିହାରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରମାନେ ଆଜି ତାଙ୍କର ଅଧ୍ୟୟନ ଜୀବନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମୃତି ମୟ ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଆୟୋଜନ କରିଥିଲେ।
ଏହି ଅବସରରେ ଡାକ୍ତର, ଇଞ୍ଜିନିୟର, ସରକାରୀ ଅଧିକାରୀ, କର୍ମଚାରୀ, ବ୍ୟବସାୟୀ ଠାରୁ ଆରମ୍ଭ କରି ସାଧାରଣ କର୍ମଜୀବୀ ପର୍ଯ୍ୟନ୍ତ ସମସ୍ତ ପ୍ରାକ୍ତନ ଛାତ୍ର ଏକାଠି ହୋଇ ବାଲ୍ୟଜୀବନର ସ୍ମୃତିକୁ ସାଉଁଟିଥିଲେ। ପଦ, ପ୍ରତିଷ୍ଠା ଓ ବୃତ୍ତିର ଭିନ୍ନତାକୁ ଭୁଲି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିଥିବା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।
ଡ଼. ନୀଳାଚଳ ସିଂହ, ଡ଼. ରାଜକୁମାର ହୋତା, କେ. ମୋହନ ରାଓ, ସୁଧାକର ପଟ୍ଟନାୟକ, ସିମଞ୍ଚଳ ଗନ୍ତାୟତ, ବୃନ୍ଦାବନ ମହାନ୍ତି, ମନୋଜ ଦାସ, ଚନ୍ଦ୍ରଭୂଷଣ ଚୌଧୁରୀ, ସତ୍ୟ ରାୟ, ପେରି ଶଙ୍କର ରାଓ, ଏମ୍.ଡି. ହମିଦ, ଅରୁଣ ପଣ୍ଡା, ସୁନିଲ ପଟ୍ଟନାୟକ, ପୀତାମ୍ବର ଶଙ୍କର, ରାମଚନ୍ଦ୍ର ନେପାକ, କାଳି ସାବତ ସହ ଅନ୍ୟାନ୍ୟ ସାଥୀମାନେ ଉପସ୍ଥିତ ରହି ବିଗତ ଦିନର ଅଭୁଲା ସ୍ମୃତିକୁ ସେୟାର କରିଥିଲେ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀନିବାସ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ସମସ୍ତେ ମନେମନେ ଝୁରିଥିଲେ।
ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରାକ୍ତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି, ଦିବଙ୍ଗତ ସାଥୀ ଓ ଶିକ୍ଷକମାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ଡ଼. ନୀଳାଚଳ ସିଂହ କହିଥିଲେ— “ଗୁରୁ ଓ ଗୋବିନ୍ଦଙ୍କ ମଧ୍ୟରୁ ପ୍ରଥମେ ମୁଁ ଗୁରୁଙ୍କୁ ପ୍ରଣାମ କରିବି”, ବୋଲି କହି ଗୁରୁମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।
ବର୍ତ୍ତମାନ ସମୟର ଅନିଶ୍ଚିତତାକୁ ମନେରଖି, ଆଜି ଏକାଠି ହୋଇପାରିଥିବାରେ ସମସ୍ତ ବାଲ୍ୟବନ୍ଧୁ ଖୁସି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *