କୋରାପୁଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ବହୁ ମୂଲ୍ୟବାନ ସମ୍ପତ୍ତି

କୋରାପୁଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ବହୁ ମୂଲ୍ୟବାନ ସମ୍ପତ୍ତି

କୋରାପୁଟ, ୩୧/୧: କୋରାପୁଟ ଜିଲ୍ଲା ଚିନ୍ଦ୍ରି ଗାଁ ନିକଟସ୍ଥ ଜଙ୍ଗଲରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁରେ ଜଙ୍ଗଲର ଅନେକ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବ୍ୟାପକ ବନ୍ୟ ସମ୍ପତ୍ତି ନଷ୍ଟ ହୋଇଛି ।ସୂଚନା ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦୀର୍ଘ ସମୟର ପରିଶ୍ରମ ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଅନେକ ପର୍ଯ୍ୟଟକ ବଣଭୋଜି ପାଇଁ ଜଙ୍ଗଲକୁ ଆସୁଛନ୍ତି। ବଣଭୋଜି ସାରିବା ପରେ ପର୍ଯ୍ୟଟକମାନେ ଚୁଲି ନିଆଁକୁ ସମ୍ପୂର୍ଣ୍ଣ ଭାବେ ନ ଲିଭାଇ ଚାଲିଯାଉଥିବାରୁ, ସେହି ନିଆଁରୁ ହିଁ ଜଙ୍ଗଲରେ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି କୋରାପୁଟ ରେଞ୍ଜର ସୂଚନା ଦେଇଛନ୍ତି।ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଥିଲେ ହେଁ, ପର୍ଯ୍ୟଟକମାନଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି। ଜଙ୍ଗଲର ଏହି ବହୁମୂଲ୍ୟ ସମ୍ପଦକୁ ରକ୍ଷା କରିବା ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସୁରକ୍ଷା ଦୃଷ୍ଟିରୁ ଏବେ ମଧ୍ୟ ବନ ବିଭାଗ ପକ୍ଷରୁ ସେହି ଅଞ୍ଚଳରେ ତଦାରଖ ଜାରି ରହିଛି।

Leave a Reply

Your email address will not be published. Required fields are marked *