

କୋରାପୁଟ/ମସ୍ତିପୁଟ: ୧୦/୧୧, କୋରାପୁଟରୁ ରାୟଗଡାକୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥରେ ଏକ ମିନି ବସ୍ ଓଲଟି ପଡ଼ିବାରୁ ଅତିକମରେ ୬ ଜଣ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା:
ସୂଚନା ଅନୁଯାୟୀ, ଗତ ତିନି ଦିନ ତଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ କାର୍ଯ୍ୟରତ ପ୍ରାୟ 15 ଜଣ ଯୁବକ ଓ ଯୁବତୀଙ୍କୁ ନେଇ ଏକ ଦଳ ପରିଭ୍ରମଣରେ କୋରାପୁଟ ଆସିଥିଲେ। ସେମାନେ ଏକ ଘରୋଇ ମିନି ବସ୍ ଯୋଗେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରୁଥିଲେ।
ଦୁର୍ଘଟଣା କିପରି ଘଟିଲା:
ଆଜି ପରିଭ୍ରମଣ ସମୟରେ, କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ଅଧୀନସ୍ଥ ଭାରତମାଳା ରାସ୍ତାର ଅମିନିଗୁଡା ନିକଟରେ ବସ୍ ଟି ଭାରସାମ୍ୟ ହରାଇଥିଲା। ଫଳରେ ଏହା ରାସ୍ତାକଡ଼ରେ ଥିବା ଏକ ନାଳକୁ ଖସିପଡ଼ି ଓଲଟି ଯାଇଥିଲା। ଦୁର୍ଘଟଣା ସମୟରେ ବସରେ ମୋଟ 15 ଜଣ ପର୍ଯ୍ୟଟକ ଥିଲେ।
ଆହତ ଓ ଚିକିତ୍ସା:
ଏହି ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
