କୋଳରେ ୬ ମାସର ଶିଶୁ, ମନରେ କର୍ତ୍ତବ୍ୟର ନିଶା; ଏଏସଆଇ ସେବତୀଙ୍କ ସଂଘର୍ଷର କାହାଣୀ

କୋଳରେ ୬ ମାସର ଶିଶୁ, ମନରେ କର୍ତ୍ତବ୍ୟର ନିଶା; ଏଏସଆଇ ସେବତୀଙ୍କ ସଂଘର୍ଷର କାହାଣୀ

ଖୋର୍ଦ୍ଧା/ଅନୁଗୁଳ:

ଜଣେ ମା’ ପାଇଁ ତା’ର ସନ୍ତାନ ସବୁକିଛି, କିନ୍ତୁ ଜଣେ ପୋଲିସ ଅଧିକାରୀଙ୍କ ପାଇଁ ତାଙ୍କ କର୍ତ୍ତବ୍ୟ ମଧ୍ୟ ସମାନ ଗୁରୁତ୍ୱ ରଖେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏଏସଆଇ (ASI) ସେବତୀ ସାମନ୍ତରାୟ। ମାତ୍ର ୬ ମାସର ଶିଶୁ ପୁତ୍ରକୁ କୋଳରେ ଧରି କଠିନ ପୋଲିସ ଟ୍ରେନିଂ ଶେଷ କରିବା ସହ ଜଙ୍କିଆ ଥାନାରେ ଯୋଗ ଦେଇ ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

​ଚ୍ୟାଲେଞ୍ଜ ଥିଲା ପଦୋନ୍ନତି ଓ ଟ୍ରେନିଂ

​ଗତ ସେପ୍ଟେମ୍ବର ମାସରେ ସେବତୀଙ୍କୁ ଏଏସଆଇ ଭାବେ ପଦୋନ୍ନତି ମିଳିଥିଲା। ଖୁସି ସହ ମୁଣ୍ଡ ଉପରେ ଚିନ୍ତାର ପାହାଡ଼ ମଧ୍ୟ ଥିଲା। ପିଲା ଜନ୍ମ ପରେ ଶାରୀରିକ ଦୁର୍ବଳତା ଏବଂ ମାତ୍ର ୬ ମାସର କୋମଳମତି ଶିଶୁକୁ ଛାଡ଼ି ୪-୫ ମାସର କଠିନ ପ୍ରଶିକ୍ଷଣ ପାଇଁ ଯିବା ଅସମ୍ଭବ ମନେ ହେଉଥିଲା। ଅନେକ ଏଭଳି ସ୍ଥିତିରେ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିଦେଇଥାନ୍ତି, ମାତ୍ର ସେବତୀ ହାର୍ ମାନି ନଥିଲେ।

​ପିଟିସି ଅନୁଗୁଳର ସହଯୋଗ ଓ ସ୍ୱତନ୍ତ୍ର ବ୍ୟବସ୍ଥା

​ସେବତୀ ନିଜ ଶିଶୁ ପୁତ୍ରକୁ ଧରି ଅନୁଗୁଳ ସ୍ଥିତ ପୋଲିସ ଟ୍ରେନିଂ କଲେଜ (PTC) ରେ ପହଞ୍ଚିଥିଲେ। ସେଠାରେ ସେ ଏସପି (SP) ସ୍କ. ସରିଫଙ୍କୁ ଭେଟି ନିଜର ଇଚ୍ଛାଶକ୍ତି ପ୍ରକାଶ କରିଥିଲେ। ସେବତୀଙ୍କ ସାହସକୁ ସମ୍ମାନ ଜଣାଇ ପ୍ରିନ୍ସିପାଲ ସତ୍ୟବ୍ରତ ଭୋଇ (IPS) ଏକ ମାନବିକ ନିଷ୍ପତ୍ତି ନେଇଥିଲେ। ମା’ ଓ ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ସ୍ୱତନ୍ତ୍ର ରହଣି ବ୍ୟବସ୍ଥା କରାଯାଇଥିଲା।

​ସମସ୍ତଙ୍କ ପ୍ରିୟ ପାଲଟିଥିଲା “ଛୋଟ ଅତିଥି”

​୬ ମାସର ଟ୍ରେନିଂ ସମୟରେ ସେହି ଶିଶୁଟି ପିଟିସିର ସମସ୍ତ କର୍ମଚାରୀ ଓ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଟ୍ରେନିଂ ଶେଷ କରି ବିଦାୟ ନେବା ବେଳେ ସେଠାକାର ପରିବେଶ ବେଶ୍ ଭାବପୂର୍ଣ୍ଣ ହୋଇଉଠିଥିଲା। ଛୋଟ ପିଲାଟି ସହ ବିତିଥିବା ସମୟକୁ ମନେ ପକାଇ ଅନେକଙ୍କ ଆଖି ଲୁହରେ ଭିଜି ଯାଇଥିଲା।

​ଜଙ୍କିଆ ଥାନାରେ କାର୍ଯ୍ୟଭାର ଗ୍ରହଣ

​ଗତକାଲି ସେବତୀ ମାଡ଼ାମ୍ ନିଜ ପୁତ୍ର ସହ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ଏଏସଆଇ ଭାବେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ତାଙ୍କର ଏହି ଦୃଢ଼ ମନୋଭାବ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠାକୁ ପୋଲିସ ବିଭାଗ ତଥା ସାଧାରଣ ଜନତା ଭୂୟସୀ ପ୍ରଶଂସା କରୁଛନ୍ତି। ସତରେ, ନାରୀ ଶକ୍ତି ଓ ମାତୃତ୍ୱର ଏହି ରୂପକୁ କୋଟି କୋଟି ପ୍ରଣାମ।

Leave a Reply

Your email address will not be published. Required fields are marked *