ଆସନ୍ତା ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ଜୟପୁରରେ ହେବ ପ୍ରତିଯୋଗିତା

କୋରାପୁଟ, ଜୟପୁର ୧୯।୧୧ : ଆସନ୍ତା ‘ପରବ’ ଉତ୍ସବ ପାଇଁ ଜିଲ୍ଲା ସ୍ତରୀୟ ନାଟକ, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାକୁ ନେଇ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକାବରମ ସସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ଓ ସାଂସ୍କୃତିକ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା, ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ବିଡ଼ିଓ ଶକ୍ତି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ବୈଠକରେ ଜୟପୁର ସରକାରୀ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରିୟା ଥିଏଟର ଗ୍ରୁପ୍ ର ସଦସ୍ୟ, କଳା ଓ କଳାକାର ସଦସ୍ୟ, ସଙ୍ଗୀତ ନିର୍ଦ୍ଦେଶକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।
📅 ପ୍ରତିଯୋଗିତାର କାର୍ଯ୍ୟସୂଚୀ:
ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଜୟପୁର ଠାରେ ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ନାଟକ, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ମଞ୍ଚ ନାଟକ ପ୍ରତିଯୋଗିତା: ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ଜୟପୁର ଗୀତାଞ୍ଜଳି କଲ୍ୟାଣ ମଣ୍ଡପ ଠାରେ।
ସଙ୍ଗୀତ ପ୍ରତିଯୋଗିତା: ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଆଦିବାସୀ ଗୀତ, ଭଜନ, ଏବଂ ଫୋକ୍ ଗୀତ ପାଇଁ ତିନୋଟି ଶ୍ରେଣୀ ରହିଛି।
ପୁରସ୍କାର ବିତରଣ: ଡିସେମ୍ବର ୬ ତାରିଖରେ ଗୀତାଞ୍ଜଳି କଲ୍ୟାଣ ମଣ୍ଡପ ଠାରେ ବିଜେତାଙ୍କୁ ପୁରସ୍କୃତ କରାଯିବ।
ଚିତ୍ରକଳା ପ୍ରତିଯୋଗିତା: ଡିସେମ୍ବର ୮ ତାରିଖରେ କଳା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୪ଟି ବ୍ଲକର କଳାକାର ଏବଂ ସ୍କୁଲ୍, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
