କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ‘ଜଳବାୟୁ ଅନୁକୂଳ କୃଷି’ ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା ଅନୁଷ୍ଠିତ

କୋରାପୁଟ, ତା- ୨/୧୨: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ରକ୍ଷା କରିବା ଲକ୍ଷ୍ୟରେ ଆଜି କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ‘କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ କୃଷି’ ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଗତି କୋରାପୁଟ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ ଓ PWC India Foundation ସହାୟତାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି।

ମୁଖ୍ୟ ଅତିଥିଙ୍କ ପ୍ରତିଶ୍ରୁତି
ଏହି କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଶୁଭକାମନା ଜଣାଇବା ସହ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
PWC ର କାର୍ଯ୍ୟକ୍ରମ ଅଧିକାରୀ ପୁଣ୍ୟଶୀଲ ୟାନଜୋନ PWC India Foundation ର ଆଭିମୁଖ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ ଏବଂ ଲମତାପୁଟ ବ୍ଲକରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପ୍ରକଳ୍ପର ରୂପରେଖ
ପ୍ରଗତିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକଳ୍ପର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟକ୍ରମ ଏବଂ ଆର୍ଥିକ ଅଟକଳ ସମ୍ପର୍କରେ ଉପସ୍ଥାପନା କରିଥିଲେ। ପ୍ରକଳ୍ପଟି ଲମତାପୁଟ ବ୍ଲକର ତୁଷବା ଗ୍ରାମପଞ୍ଚାୟତର ୫ଟି ଗ୍ରାମରେ କାର୍ଯ୍ୟକାରୀ କରାଯିବ।
ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ: କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ, କୂପ ଖନନ, ସୌର ଚାଳିତ ପମ୍ପ ସ୍ଥାପନ, ମୃତ୍ତିକା ସଂରକ୍ଷଣ, ଫଳ ବଗିଚା ସୃଷ୍ଟି, ଶ୍ରୀ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ, ଏବଂ ଅଧା ଏକର ଆଦର୍ଶ ବଗିଚା।
ଚାଷୀମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ପ୍ରଦାନ କରାଯିବ।

ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ
କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ, ଜିଲ୍ଲା କୃଷି ଅଧିକାରୀ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ, ଓଡିଶା ଜୀବିକା ମିଶନ ଜିଲ୍ଲା ସଂଯୋଜିକା ଏବଂ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଯୋଗ ଦେଇଥିଲେ। ସେମାନେ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ପ୍ରକଳ୍ପ ଅଞ୍ଚଳରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସହମତି ପ୍ରଦାନ କରିଥିଲେ।
ଜିଲ୍ଲା ଯୋଜନା ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଆକାଂକ୍ଷା ଜିଲ୍ଲା କୋରାପୁଟ ତଥା ଲମତାପୁଟ ବ୍ଲକର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବିକାଶ ପାଇଁ ସମସ୍ତ ବିଭାଗର ସହଯୋଗ ରହିବ ବୋଲି ମତ ଦେଇଥିଲେ।
ବୈଷୟିକ ସହାୟତା
କୃଷି ବିଜ୍ଞାନ କେନ୍ଦ୍ର (KVK): ବରିଷ୍ଠ କୃଷି ବୈଜ୍ଞାନିକ ଡଃ ସୁନିତା ଦଣ୍ଡସେନା କୃଷି କ୍ଷେତ୍ର ପ୍ରଦର୍ଶନୀ, ବିହନ ଉତ୍ପାଦନ ଓ କୃଷି ଯନ୍ତ୍ରପାତି ଆଦି କାର୍ଯ୍ୟକ୍ରମରେ ପ୍ରକଳ୍ପ ସହ ସମନ୍ୱୟ ରକ୍ଷା କରି ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
ICAR – ଭାରତୀୟ ଜଳ ପରିଚାଳନା କେନ୍ଦ୍ର (Bhubaneswar): ପ୍ରମୁଖ ବୈଜ୍ଞାନିକ ଡ଼ଃ ଆର. କେ. ପଣ୍ଡା ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନଃ ସଞ୍ଚାର ଦିଗରେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଏକ ଆଦର୍ଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରଗତି କୋରାପୁଟ ଓ ICAR – ଭାରତୀୟ ଜଳ ପରିଚାଳନା କେନ୍ଦ୍ର, ଭୁବନେଶ୍ୱର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
କର୍ମଶାଳାକୁ ପ୍ରଗତିର ସମ୍ପାଦକ ଶ୍ରୀ ପ୍ରଭାକର ଅଧିକାରୀ ପରିଚାଳନା କରିବା ସହ ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତୁଷବା ପଞ୍ଚାୟତର ୫ଟି ଗ୍ରାମରୁ ୫୦ ଜଣ ଚାଷୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *