ପରବ ଉତ୍ସବ ଉପଲକ୍ଷେ ଦୁଇ ଦିନିଆ ପ୍ରତିଯୋଗିତା ଆରମ୍ଭ

କୋରାପୁଟ, ୨/୧୨: ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ‘ପରବ ୨୦୨୫’ ପାଳନ ଅବସରରେ ଆଜି ସ୍ଥାନୀୟ ପୌରପାଳିକା ଜିମ୍ ଠାରେ ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ।
କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ସମୁଦାୟ ୩୦ ଜଣ ମହିଳା ଏବଂ ୮୦ ଜଣ ପୁରୁଷ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ପ୍ରତିଯୋଗିତାରେ ସ୍କ୍ୱାଡ୍ (Squat), ବେଞ୍ଚ ପ୍ରେସ୍ (Bench Press) ଓ ଡେଡ୍ ଲିଫ୍ଟ (Deadlift) ଭଳି ବିଭାଗରେ ଆୟୋଜନ କରାଯାଉଛି।
ଉଦଘାଟନୀ ଉତ୍ସବରେ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ, କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଉପ ଜିଲ୍ଲାପାଳ ଶ୍ରୀ ପ୍ରେମଲାଲ ହିଆଲ, ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଦୁଇ ଦିନିଆ ପ୍ରତିଯୋଗିତା ଜିଲ୍ଲାର ଯୁବକ ଓ ଯୁବତୀଙ୍କ ମଧ୍ୟରେ କ୍ରୀଡା ମନୋଭାବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

